The beacon of independent journalism

ଭେଡ଼େନ, ଇବ ନଦୀରେ ଫ୍ଲୋରାଇଡ଼, ପ୍ରଦୂଷିତ କରୁଛି ବେଦାନ୍ତ

-କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ରିପୋର୍ଟ ପରେବି ସରକାରୀ ପଦକ୍ଷେପ ଶୂନ୍ୟ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଏବଂ ଝାରସୁଗୁଡ଼ା ଜିଲ୍ଲାର ହୀରାକୁଦ ଜଳଭଣ୍ଡାର କୂଳ ଗାଁମାନଙ୍କୁ ରୋଗିଣା ହେବାକୁ ଛାଡ଼ି ଦେଉଛନ୍ତି ସରକାର। ଏଠାରେ ଥିବା ଇବ, ଭେଡ଼େନ ନଦୀ ସହିତ ହୀରାକୁଦ ଜଳଭଣ୍ଡାର ନିକଟବର୍ତ୍ତୀ ପଞ୍ଚାୟତର ପାଣି ଏବଂ ଏଠାକାର ଭୂତଳ ପାଣିରେ ଭାରିମାତ୍ରାରେ ବିପଜ୍ଜନକ ରସାୟନ ଥିବା ନେଇ ସରକାରୀ ସଂସ୍ଥା କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ରିପୋର୍ଟ ଦେବା ପରେ ମଧ୍ୟ ସରକାର ଚୁପ ପଡ଼ିଛନ୍ତି। ଏଥିପାଇଁ ବୋର୍ଡ ସିଧାସଳଖ ବେଦାନ୍ତକୁ ଦାୟୀ କରିଛି। ଏହା ସତ୍ତ୍ବେ କିଛି ନ ଜାଣିବା ଭଳି ନିରବ ଅଛନ୍ତି। ମୁଖ୍ୟମନ୍ତ୍ରୀ, ପରିବେଶ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କୌଣସି ମତ ରଖୁ ନାହାନ୍ତି। ଏହି ଅଞ୍ଚଳର ପାଣିକୁ ବିଷମୁକ୍ତ କରିବା ନେଇ ପଦକ୍ଷେପ ସମ୍ପର୍କରେ ସୂଚନା ଦେଉ ନାହାନ୍ତି।   

ସଫାଇ ନାଳା, ଇବ ନଦୀ ଏବଂ ଭେଡ଼େନ ନଦୀ ଜରିଆରେ ହୀରାକୁଦ ଜଳଭଣ୍ଡାରକୁ ପ୍ରଦୂଷିତ ହେଉଛି। ଏଥିପାଇଁ ବେଦାନ୍ତକୁ ସିଧାସଳଖ ଦାୟୀ କରିଛି କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ। ସଫାଇ ନାଳା ସହିତ ଭେଡ଼େନ ନଦୀରେ ଭାରିମାତ୍ରାରେ ଫ୍ଲୋରାଇଡ଼ ସହିତ କ୍ୟାମିକାଲ ଚିହ୍ନଟ କରାଯାଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଏବଂ ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକର ଶିଳ୍ପାୟନ ପ୍ରଭାବିତ ପଞ୍ଚାୟତରେ ଫ୍ଲୋରାଇଡ଼, କ୍ଲୋରାଇଡ଼ ଏବଂ ନ୍ୟୁଟ୍ରେଣ୍ଟ ସହିତ ଅନ୍ୟାନ୍ୟ କେମିକାଲ ରହିଛି। ଯାହା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ। ଅର୍ଥାତ ଏହି ଅଞ୍ଚଳର ଅଧିକାଂଶ ନଳକୂଅ ପାଣି ପିଇବା ପାଇଁ ମଧ୍ୟ ଉପଯୋଗୀ ନୁହେଁ। ରିପୋର୍ଟରେ ଉଲ୍ଲେଖ ନଥିଲେ ମଧ୍ୟ ଏହା ସ୍ପଷ୍ଟ ହେଉଛି ଯେ ହୀରାକୁଦ ଜଳଭଣ୍ଡାର କୂଳରେ ଏବଂ ଏହାର ପାଣି ଉପରେ ନିର୍ଭର କରୁଥିବା ଓଡ଼ିଶାବାସୀ ରୋଗିଣା ହେବା ଦିଗକୁ ଅଗ୍ରସର ହେଉଛନ୍ତି। କେନ୍ଦ୍ରୀୟ ସରକାରୀ ସଂସ୍ଥାଙ୍କ ଏଭଳି ଭୟ ଉଦ୍ରେକକାରୀ ରିପୋର୍ଟ ସାର୍ବଜନୀନ ହେବା ପରେ ମଧ୍ୟ ରାଜ୍ୟ ସରକାର ବେଦାନ୍ତ, ଭୂଷଣର ବର୍ଜପାଣି ନିଷ୍କାସନ ପରିଚାଳନା ନେଇ କୌଣସି ନିର୍ଦେଶ ଜାରି କରି ନାହାନ୍ତି। ଲୋକେ ବିଷମୁକ୍ତ ଭୂତଳ ପାଣି କିଭଳି ପିଇପାରିବେ ସେ ନେଇ ମଧ୍ୟ ପଦକ୍ଷେପ ଶୂନ୍ୟ ଅଟେ। ପାଣିକୁ ନେଇ ଏତେ ଗୁରୁତ୍ବପୂର୍ଣ୍ଣ ସୂଚନା ପରେବି ସରକାରଙ୍କ ନିରବତା ସାଧାରଣ ମଣିଷଙ୍କ ସ୍ବାସ୍ଥ୍ୟ ସେମାନଙ୍କ ପାଇଁ ତୁଚ୍ଛ ଥିବା ସ୍ପଷ୍ଟ ଅଟେ।

ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଏବଂ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକର ୪୫୬ ବର୍ଗକିଲୋମିଟରର ଭୂତଳ ଏବଂ ଭୂପୃଷ୍ଠ ପାଣିକୁ ନେଇ ଅଧ୍ୟୟନ କରିଥିଲା କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ। ଏଥିରେ ଝାରସୁଗୁଡ଼ା ଜିଲ୍ଲାର ମ୍ୟୁନିସିପାଲଟି, କୋଲାବିରା, କିରମିରା ବ୍ଲକର ୧୫ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୪୬ ଗାଁ ଏବଂ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ୧୧ ଗ୍ରାମ ପଞ୍ଚାୟତ, ୩୧ଗାଁ ଏବଂ ସହରକୁ ସାମିଲ କରାଯାଇଛି। ଯେଉଁଠି ଇବ ନଦୀ, ଭେଡ଼େନ ନଦୀ ଏବଂ ମଟଓ୍ବାଲି ନାଲାକୁ କେନ୍ଦ୍ରଭୂତ ହୋଇ ରହିଛି। ୨୦୧୧ ମସିହା ଅର୍ଥାତ ଶେଷଜନଗଣନା ଅନୁଯାୟୀ ଅଧ୍ୟୟନ କରାଯାଇଥିବା ଏହି କ୍ଷେତ୍ରର ଲୋକସଂଖ୍ୟା ୨ ଲକ୍ଷ ୧୮ ହଜାର ୭୧୧ ଅଟେ। ୨୦୧୯-୨୦ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାର ଏହି ଅଧ୍ୟୟନ କ୍ଷେତ୍ରରେ ୧୪ଟି ବୃହତ, ୨୦ ଟି ମଧ୍ୟମ ଶିଳ୍ପ ଏବଂ ୨୦ଟି ଏମଏସଏମଇ, ରେଙ୍ଗାଲିରେ ୮ଟି ବୃହତ, ୨ଟି ମଧ୍ୟମ ଏବଂ ୨ଟି ଏମଏସଏମଇ କ୍ଲଷ୍ଟର ଏବଂ ସମ୍ବଲପୁର-ଝାରସୁଗୁଡ଼ାର ମଝି ସ୍ଥାନରେ ଏନଏଲସିର କଲାବିରା କୋଇଲା ଖଣି ରହିଛି। ସମ୍ବଲପୁରର ଏହି ବୃହତ କାରଖାନା ମଧ୍ୟରେ ଥର୍ମାଲ ପାଓ୍ବାର ପ୍ଲାଣ୍ଟ, ଆଇରନ, ଷ୍ଟିଲ, ଆଲୁମିନିୟମ କାରଖାନା ଅଟେ।  ଭୂପୃଷ୍ଠ ଉପଲବ୍ଧ ପାଣି ଏହି କାରଖାନାର ପାଣିର ଆବଶ୍ୟକତା ପୂରଣ କରୁଛି।

ନଳକୂଅ ବ୍ୟବହାର କରୁଛନ୍ତି କାରଖାନା– ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ୧୨୨ ନଳକୂଅ ଏବଂ ରେଙ୍ଗାଲି ବ୍ଲକର ୧୨୨ ନଳକୂଅରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏଥିରୁ ୬୨ ନଳକୂଅ କାରଖାନା ପାଇଁ ବ୍ୟବହୃତ ହୋଇଥିବା ସ୍ପଷ୍ଟ ହୋଇଛି।

ବ୍ଲକ                    ନଳକୂଅ               ବାର୍ଷିକ ପାଣି ଖର୍ଚ (ହାମ-ଏଚଏଏମ)

ଝାରସୁଗୁଡ଼ା           ୩୫                   ୪୦.୦୩

କୋଲାବିରା           ୭                      ୧୧.୧୭

ରେଙ୍ଗାଲି              ୨୦                   ୧୭.୨୭

ସମୁଦାୟ              ୬୨                   ୬୮.୪୭

ଘରୋଇ କ୍ଷେତ୍ରରେ ପାଣିର ବ୍ୟବହାର- ୮୭୨ ହାମ, ଶିଳ୍ପ- ୬୮.୪୭ , ଜଳସେଚନ-୧୮୦.୬୯ ହାମ

ଭୂତଳ ପାଣିରେ ରସାୟନର ପରିମାଣ– ଭୂତଳ ପାଣିରେ ପଟାସିୟମ (ପାଣିରେ ଏହାର ଉପସ୍ଥିତିକୁ ସୁରକ୍ଷିତ ବୋଲି ଗ୍ରହଣ କରାଯାଏ), କ୍ୟାଲସିୟମ, ସୋଡ଼ିୟମ (ଲିଟର ପିଛା ୧୩୫ରୁ ୧୪୫), ମ୍ୟାଗନେସିୟମ (୧.୭ରୁ ୨.୩), କ୍ଲୋରାଇଡ (୧୦-୨୦ ମିଲିଗ୍ରାମ), ସଲଫେଟ (୦ରୁ ୨୩୦ ଏମଜି),  ଵାଇକାରବୋନେଟ (୩୦ରୁ୪୦୦ ପିପିଏମ), କାରବୋନେଟ ରହିଥାଏ। ଏହା ସହିତ ପିଏଚ (ଏସିଡ଼ ବା ଆଲକାଇନ), ଇଲେକ୍ଟ୍ରିକାଲ କଣ୍ଡକ୍ଟିଭ, ହାର୍ଡନେସ, ଡିସଲଭ୍ଡ ସଲିଡ ପାଣିର ପାରାମିଟର ଅଟେ।  ଏହି ଅଧ୍ୟୟନ ବେଳେ ପାଣିରେ ଲିଟର ପିଛା ୧୧ରୁ ୪୮୨ ଏମଜି ମାତ୍ରାଧିକ ପରିମାଣରେ କ୍ଲୋରାଇଡ ଚିହ୍ନଟ କରାଯାଇଛି। ଏଥିରୁ କେବଳ ରେଙ୍ଗାଲି୨ରେ ସର୍ବାଧିକ ୪୮୨ ଏମଜି ଅଟେ। ଶିଳ୍ପ ଏବଂ ଘରୋଇ ଆବର୍ଜନା ପାଣିରେ ମିଶିବା ଯୋଗୁଁ ଏଭଳି ସ୍ଥିତି ହୋଇଛି। ଏହି ଅଧ୍ୟକ୍ଷନ କ୍ଷେତ୍ରର ମୌସୁମୀ ପୂର୍ବର ୯ ଏବଂ ମୌସୁମୀ ପରର ୨ ସ୍ଥାନରେ ଲିଟର ପିଛା ୨୫୦ ମିଲିଗ୍ରାମରୁ ଅଧିକ କ୍ଲୋରାଇଡ ଥିବା ଚିହ୍ନଟ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବେହେରାପାଟରେ ୨୬୨ ଏମଜି, ବୁଢିପଦରରେ ୨୭୭ ଏମଜି, ଡୁମରାମୁଣ୍ଡାରେ ୪୦୮ ଏମଜି, ଏଚକଟାପାଲିରେ ୪୬୪ଏମଜି, ସମ୍ବଲପୁର ଜିଲ୍ଲା ତିଳେଇମାଲରେ ୩୪୪ଏମଜି, ରେଙ୍ଗାଲିରେ ୨୫୨ଏମଜି, ଲପଙ୍ଗାରେ ୩୭୨ ଏମଜି,ଝାରମୁଣ୍ଡାରେ ୨୫୫ ଏମଜି ରହିଛି। ମୌସୁମୀ ପରେ ରେଙ୍ଗାଲି୨ରେ ଫ୍ଲୋରାଇଡ ୨୮୭ ଏମଜି, ଏଚକଟାପାଲିରେ ୩୯୧ ଏମଜି ଥିବା ନେଇ ରିପୋର୍ଟ ଦିଆଯାଇଛି। ମୌସୁମୀ ପର ଅପେକ୍ଷା ମୌସୁମୀ ପୂର୍ବର ପାଣିରେ ବେଶି କ୍ଲୋରାଇଡ୍ ଚିହ୍ନଟ କରାଯାଉଛି। ୧୧ ନଳକୂଅର ପାଣିରେ ଲିଟର ପିଛା ୪୫ ମିଲିଗ୍ରାମରୁ ଅଧିକ ନାଇଟ୍ରେଟ ରହିଛି। ଏଥିରେ ଝାରସୁଗୁଡ଼ା ଜିଲ୍ଲା ପରମାଣପୁରରେ ୭୨ ଏମଜି, ବଢେଇମୁଣ୍ଡାରେ ୬୪ ଏମଜି, ଝାରମୁଣ୍ଡା୨ରେ ୫୩ ଏମଜି, କୁରେବଗାରେ ୬୬ ଏମଜି, ବୁଢିପଦରରେ ୪୯, ବୃନ୍ଦାମାଲ୨ରେ ୮୪, ଭାଗିପାଲିରେ ୮୪, ଡବରାରେ ୬୯ ଏମଜି, ପଂଚପଡ଼ାରେ ୫୪, ଏଚ.କଟାପାଲିରେ ୧୫୧ ଏମଜି, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ବମାଲୋଇରେ ୯୨ଏମଜି, ଡେରବାରେ ୯୬ ଏମଜି, ରେଙ୍ଗାଲିରେ ୮୪ ଏମଜି, ରେଙ୍ଗାଲି୨ରେ ୬୪, ବାଗମୁଣ୍ଡାରେ ୫୩ ଚିହ୍ନଟ କରାଯାଇଛି। ମୌସୁମୀ ପରେ ସମ୍ବଲପୁର ଏବଂ ଝାରସୁଗୁଡ଼ା ଅଧ୍ୟକ୍ଷ କ୍ଷେତ୍ରର ୧୫ ସ୍ଥାନର ନଳକୂଅରେ ୪୫ ଏମଜିରୁ ଅଧିକ ନାଇଟ୍ରେଟ ଚିହ୍ନଟ ହୋଇଛି। ମୌସୁମୀ ପୂର୍ବ ଅପେକ୍ଷା ମୌସୁମୀ ପରେ ଅଧିକ ନାଇଟ୍ରେଟ ଦେଖାଯାଉଛି। ଭାଗିପାଲି ୧୦୭, ବାଗମୁଣ୍ଡା ୬୫, ପଞ୍ଚପଡ଼ା ୯୪, କୁରେବଗା ୮୪, ପରମାଣପୁର ୨୧୯, ବୁଢିପଦର ୫୯ ଏମଜି ଅର୍ଥାତ ଅଧିକ ପରିମାଣରେ ନାଇଟ୍ରେଟ ଚିହ୍ନଟ ହୋଇଛି। ୧୬ ସ୍ଥାନରେ ଆଲୁମିନିୟମ୦.୨ ମିଲିଗ୍ରାମରୁ ଅଧିକ, ୬ ସ୍ଥାନରେ ୧୫ ଏମଜିରୁ ଅଧିକ ଜିଙ୍କ, ୪ ସ୍ଥାନରେ ୦.୦୩ ଏମଜିରୁ ଅଧିକ ୟୁରେନିୟମ, ୫ ସ୍ଥାନରେ ୦.୦୧ ଏମଜିରୁ ଅଧିକ ସିସା ରହିଛି। ୨୦ ସ୍ଥାନର ଡଗଓ୍ବେଲ, ବରଓ୍ବେଲ ଏବଂ ହେଣ୍ଡପମ୍ପରେ ଥିବା ରସାୟନ ପାନୀୟ ଜଳର ରସାୟନ ଠାରୁ କାହିଁରେ କେତେ ଅଧିକ ରହିଛି। ସଂଗୃହୀତ ନମୁନା ମଧ୍ୟରୁ ୧୬ ପ୍ରତିଶତ ଅନୁପଯୁକ୍ତ ଏବଂ ୩୩ ପ୍ରତିଶତ ବିକଳ୍ପ ନଥିଲେ ଉପଯୁକ୍ତ ବୋଲି ଦର୍ଶାଯାଇଛି। ୧୨୯ ଭୂତଳ ପାଣିର ୩ ସ୍ଥାନରେ ଫ୍ଲୋରାଇଡ ଏବଂ ୧୫ ସ୍ଥାନରେ ନାଇଟ୍ରେଟ ଚିହ୍ନଟ କରାଯାଇଛି। କିଛି ଅଞ୍ଚଳର ଭୂତଳ ପାଣିରେ ଏତେ ରସାୟନ ମିଶ୍ରିତ ଯେ ଏହା ଜଳସେଚନ ପାଇଁ ମଧ୍ୟ ଉପଯୁକ୍ତ ନୁହେଁ।

ବର୍ଜ ପାଣିର ଫ୍ଲୋରାଇଡ଼– ବର୍ଜ ପାଣିରେ ଥିବା ଉଚ୍ଚମାନର ଫ୍ଲୋରାଇଡ଼ ଭୂଉପର ପାଣିରେ ମିଶ୍ରିତ କରୁଥିବା ନେଇ ରିପୋର୍ଟ ଦର୍ଶାଯାଇଛି। ବେଦାନ୍ତର ବିଶୋଧିତ ହୋଇନଥିବା ବର୍ଜ ପାଣି ସଫାଇ ନାଳା ଦେଇ ଭେଡ଼େନ ନଦୀକୁ ପ୍ରବେଶ କରି ପ୍ରଦୂଷିତ କରୁଛି। ଝାରସୁଗୁଡ଼ାରୁ ପ୍ରବାହିର ଇବ ଏବଂ ଭେଡ଼େନ ନଦୀ ହୀରାକୁଦ ଜଳଭଣ୍ଡାର ସହିତ ମିଶି ସେଥିରେ ମଧ୍ୟ ଫ୍ଲୋରାଇଡ଼ଯୁକ୍ତ ପାଣି ପହଞ୍ଚୁଛି। ମୌସୁମୀ ପୂର୍ବର ୧୨ ନମୁନା ଏବଂ ମୌସୁମୀ ପରର ୧୦ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ହୋଇଥିଲା। ଭାଗିପାଲି ଏବଂ କାଲିକେଲାର ପୋଖରୀରେ ଫ୍ଲୋରାଇଡ଼ଯୁକ୍ତ ପାଣି ରିପୋର୍ଟ ଆସିଛି। ସଫାଇ ନାଳାର ପାଣିର ଗୁଣାତ୍ମକମାନ ନେଇ ରିପୋର୍ଟରେ ସ୍ବତନ୍ତ୍ର ଭାବରେ ଉଲ୍ଲେଖ କରାଯାଇ ଦର୍ଶାଯାଇଛି ଯେ ସଫାଇ ନାଳର ୩ ବିନ୍ଦୂରୁ ହାରାହାରି ଜଳନମୁନା ସଂଗୃହୀତ ହୋଇ ଯେଉଁ ପରିଣାମ ଆସିଥିଲା, ସେଥି ଅନୁଯାୟୀ ସବୁ ନମୁନାରେ ଫ୍ଲୋରାଇଡ଼ ପରିମାଣ ସୀମା ଲିଟର ପିଛା ୧.୫୦ ଏମଜିରୁ ଅତିକ୍ରାନ୍ତ କରିଥିଲା। ଯାହା ଏହି ନାଳା ଫ୍ଲୋରାଇଡରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମୌସୁମୀ ପରବର୍ତ୍ତୀ ସମୟରେ ଏହା ୧୪୭ ଏମଜିକୁ ପରବର୍ତ୍ତିତ ହୋଇପାରେ ଏବଂ ଉଭୟ ଋତୁରେ ନାଇଟ୍ରେଟ ଲିଟର ପିଛା ୧୦ ଏମଜି ନାଇଟ୍ରେଟରେ ପହଞ୍ଚିଛି। ମୌସୁମୀ ପୂର୍ବ ଏବଂ ପରେ ଏତେ ପରିମାଣରେ ଫ୍ଲୋରାଇଡ ସଂକ୍ରମିତ ହୋଇଥିବା ଜଣାପଡ଼ିବା ଅର୍ଥ ଏଠାରେ ମାନବିକ ଗତିବିଧି ଯୋଗୁଁ ଏଭଳି ହୋଇଛି। ଏହି ପାଣିର ସଲଫେଟ ଏବଂ ଫ୍ଲୋରାଇଡ଼ ଭାଗିପାଲି ସ୍ଥିତ ଭେଡ଼େନ ନଦୀରେ ମିଶ୍ରିତ ହେଉଛି। ଭେଡ଼େନ ନଦୀ ଇବ ନଦୀର ଉପନଦୀ ଅଟେ ଏବଂ ଏହା ଝାରସୁଗୁଡ଼ା ଜିଲ୍ଲାର ଖଏତରେ ମିଶ୍ରିତ ହେଉଛି। ସଫାଇ ନାଳାର ପାଣିର ଗୁଣାତ୍ମକ ହାର ଦିନକୁ ଦିନ ହ୍ରାସ ପାଉଛି। ଯାହାକି ଭାଗିପାଲିର ଭେଡ଼େନ ନଦୀ ସହିତ ମିଶ୍ରିତ ହେଉଛି।

ଭେଡ଼େନ ନଦୀର ଗୁଣାତ୍ମକମାନ– ଭେଡେନ ନଦୀ ଇବ ନଦୀର ପ୍ରମୁଖ ଉପନଦୀ। ଯାହାକି ଝାରସୁଗୁଡା ଜିଲ୍ଲାର ରାମପୁରରେ ଇବ ନଦୀ ସହିତ ମିଶିଛି। କ୍ଷେତ୍ର ପରିଦର୍ଶନ ସମୟରେ, ଏହା ଜଣାପଡିଲା ଯେ ନଦୀ ପ୍ରାୟତଃ ଶୁଖିଲା ପଡ଼ିଛି ଏବଂ ନଦୀରେ ଜଳ ପ୍ରବାହ ବନ୍ଦ ହୋଇଯାଇଛି। ଅଣ-ମୌସୁମୀ ଋତୁରେ ନଦୀରେ ପ୍ରବାହିତ ପ୍ରବାହ ଅତି ସୀମିତ ଅଟେ। ଏହାର ଗୁଣବତ୍ତା ମୂଲ୍ୟାଙ୍କନ ପାଇଁ ଚାରୋଟି ଜଳ ନମୁନା ସଂଗ୍ରହ କରାଯାଇଥିଲା। ଭେଡେନ ନଦୀର ରସାୟନିକ ଗୁଣଗୁଡ଼ିକ କ୍ଷାରୀୟ ପ୍ରକୃତିକୁ ଦର୍ଶାଏ ଏବଂ ଉଭୟ ଋତୁରେ ଉପର (କାଟିକେଲା) ଜଳ ଅପେକ୍ଷା ଅଧିକ ଦ୍ରବୀଭୂତ ଆୟନ ଧାରଣ କରିଥାଏ। ଉପରମୁଣ୍ଡରେ (କାଟିକେଲାରେ ଭେଡେନ) ଜଳର ମୋଟ ଦ୍ରବୀଭୂତ କଠିନ ପରିମାଣ ଲିଟର ପିଛା ୧୩୭ ମିଲିଗ୍ରାମ ଯାହା ମଧୁର ଜଳ ଏବଂ ପ୍ରାକ ମୌସୁମୀରେ ବାଗିପାଲିରେ ସଫାଇ ନାଳାର ସଂଗମ (ଲିଟର ପିଛା ୮୬୩ ମିଲିଗ୍ରାମ) ବହୁତ କମ୍। ସଫାଇ ନାଳାର ଫ୍ଲୋରାଇଡ୍ ପ୍ରଦୂଷିତ ପାଣି ମିଶ୍ରଣ ପରେ, ଭେଡେନ ନଦୀର ରାସାୟନିକ ଗୁଣଗୁଡ଼ିକ ପରିବର୍ତ୍ତନ ହୋଇଛି। କ୍ୟାଲସିୟମ, ମାଗ୍ନେସିୟମ, ସଲଫେଟ ଏବଂ ଫ୍ଲୋରାଇଡ ବ୍ୟତୀତ, ଅବଶିଷ୍ଟ ସମସ୍ତ ଆୟନଗୁଡ଼ିକ ନିର୍ଦିଷ୍ଟ ପରିମାଣରେ ରହିଛି। ଭେଡେନ ନଦୀ ଜଳରେ ଫ୍ଲୋରାଇଡର ଅଧିକ ସାନ୍ଦ୍ରତା ଥିବାର ଅର୍ଥ ହେଉଛି ଯେ ଜଳ ମାନବଜାତ କାର୍ଯ୍ୟକଳାପ ଯୋଗୁଁ ଦୂଷିତ ହେବାର ସମ୍ଭାବନା ଅଛି। ତଥ୍ୟ ମଧ୍ୟ ନିଶ୍ଚିତ କରେ ଯେ ଅଣମୌସୁମୀ ସମୟରେ ଖୈତରେ ଇବ୍ ନଦୀର ମଧୁର ଜଳ ସହିତ ଭେଡେନ ନଦୀର ଫ୍ଲୋରାଇଡ୍ ପ୍ରଦୂଷିତ ପାଣି ମିଶ୍ରିତ ହୁଏ ଏବଂ ଫଳସ୍ୱରୂପ ଇବ୍ ନଦୀର ଜଳ ଗୁଣବତ୍ତା ଦିନକୁ ଦିନ ଖରାପ ହୋଇପାରେ। ସଲଫେଟ୍ ଏବଂ କ୍ଲୋରାଇଡ୍ ଭେଡେନ୍ ନଦୀରେ ନିର୍ଗତ ହେଉଛି। ନଦୀ କୂଳରେ ଫ୍ଲୋରାଇଡ୍ ପ୍ରଦୂଷଣ ପରିଲକ୍ଷିତ ହେଉଛି। ଖେରୁଆଲ୍ ସେତୁରେ ପ୍ରବାହର କ୍ଲୋରାଇଡ୍ ଏବଂ ସଲଫେଟ୍ ଦର୍ଶାଯାଇଛି ଯାହା ବର୍ଦ୍ଧିତ ଧାରା ଏବଂ ଗୁଣବତ୍ତା ଖରାପ ହେଉଛି। ଏହା ବ୍ୟତୀତ, ଖେରୁଆଲ୍ ସେତୁରେ ଫ୍ଲୋରାଇଡ୍ ୦.୧୫-୧.୭୬ ମିଲିଗ୍ରାମ ମଧ୍ୟରେ ରହିଛି। ପ୍ରାକ ମୌସୁମୀ ଏବଂ ପରବର୍ତ୍ତୀ ମୌସୁମୀରେ ଖୈତରେ ଭେଡେନ୍‌ର ଫ୍ଲୋରାଇଡ୍ ପରିମାଣ ଯଥାକ୍ରମେ ଲିଟର ପିଛା ୧.୫୪ ମିଲିଗ୍ରାମ ଏବଂ ୦.୪୩ ମିଲିଗ୍ରାମ ଅଟେ।  ନିମ୍ନ ଫ୍ଲୋରାଇଡ୍ ସାନ୍ଦ୍ରତା ଡିଲୁଏସନ୍ ପ୍ରଭାବ ଯୋଗୁଁ ହୋଇଥାଏ। ଦ୍ରବୀଭୂତ ଆୟନଗୁଡ଼ିକ ମଧ୍ୟରେ, ପ୍ରବାହିତ ପଦାର୍ଥରେ ସଲଫେଟ୍ ଏବଂ ଫ୍ଲୋରାଇଡ୍ ଅଧିକ ପରିମାଣର ଥିବାରୁ ଅନ୍ୟ ଆୟନଗୁଡ଼ିକ ତୁଳନାରେ ଅଧିକ ପ୍ରମୁଖ। ଏହା ମଧ୍ୟ ଜଣାପଡ଼ିଛି ଯେ ଭେଡେନ୍ ଜଳର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି।

ଇବ ନଦୀର ଗୁଣବତ୍ତା- ଇବ୍ ନଦୀ ଝାରସୁଗୁଡା ସହରର ପଶ୍ଚିମ ପାର୍ଶ୍ୱ ଦେଇ ପ୍ରବାହିତ ହୁଏ ଏବଂ ଭେଡେନ୍ ନଦୀ ଝାରସୁଗୁଡା ଜିଲ୍ଲାର ରାମପୁରରେ ଏହା ସହିତ ମିଶିଯାଏ। ଇବ୍ ନଦୀ ଜଳର ଗୁଣବତ୍ତାର ମୂଲ୍ୟାଙ୍କନ ଅତ୍ୟନ୍ତ ଜରୁରୀ କାରଣ ଏହା ହୀରାକୁଦ ଜଳଭଣ୍ଡାରରେ ମିଶିଯାଏ। ବିଭିନ୍ନ ସ୍ଥାନରୁ ସଂଗୃହୀତ ତିନୋଟି ଜଳ ନମୁନାକୁ ବିଭିନ୍ନ ରାସାୟନିକ ପାରାମିଟର ପାଇଁ ବିଶ୍ଳେଷଣ କରାଯାଏ। ତଥ୍ୟ ଦର୍ଶାଏ ଯେ ଖୈତ (ଇବ୍ ଏବଂ ଭେଡେନ୍ ମଧ୍ୟରେ ସଂଗମ) ରେ ଦ୍ରବୀଭୂତ ଆୟନ (EC ଏବଂ TDS) ର ସାନ୍ଦ୍ରତା ପ୍ରାକ ମୌସୁମୀ ସମୟରେ ଇବ୍ ନଦୀର ଉପରଭାଗ (ବାରାଘାଟ) ଏବଂ ତଳଭାଗ (ରାମପୁର) ରେ ସାନ୍ଦ୍ରତା ଅପେକ୍ଷା ଅଧିକ। ପ୍ରାକ ମୌସୁମୀ ସମୟରେ ସଲଫେଟ୍, କ୍ଲୋରାଇଡ୍ ଏବଂ ଫ୍ଲୋରାଇଡ୍ ପାଇଁ ମଧ୍ୟ ସମାନ ଧାରା ପରିଲକ୍ଷିତ ହୁଏ। ପରବର୍ତ୍ତୀ ମୌସୁମୀ ନମୁନା ସମୟରେ, ପୂର୍ବ ମୌସୁମୀ ନମୁନା ତୁଳନାରେ ନଦୀ ଜଳ ପତନ ହୋଇଥାଏ। ଖୈତରେ ଫ୍ଲୋରାଇଡର ସାନ୍ଦ୍ରତା ଇବ ନଦୀର ଉପର ଏବଂ ତଳ ପ୍ରବାହ ଅପେକ୍ଷା ଅଧିକ। ସଲଫେଟ, କ୍ଲୋରାଇଡ ଏବଂ ଫ୍ଲୋରାଇଡର ପରିମାଣ ପ୍ରାକୃତିକ ଉତ୍ସ ଯୋଗୁଁ ନୁହେଁ ବରଂ ମାନବଜାତ କାର୍ଯ୍ୟକଳାପ ଯୋଗୁଁ ଏହା ହୋଇଛି। ମଧୁର ଜଳ ଏହି ସାମଗ୍ରୀଗୁଡ଼ିକୁ ଗ୍ରହଣୀୟ ସୀମା ପର୍ଯ୍ୟନ୍ତ ପତଳା କରେ। ତେଣୁ ଏହା ସ୍ପଷ୍ଟ ଯେ, ସଫାଇ ନାଳା ଏବଂ ଭେଡେନ ନଦୀର ବିଶ୍ଳେଷଣ କରାଯାଇଥିବା ଭୌତିକ-ରାସାୟନିକ ଗୁଣଗୁଡ଼ିକ ଦର୍ଶାଇଛି ଯେ ଫ୍ଲୋରାଇଡ୍ ପ୍ରଦୂଷଣ ଶିଳ୍ପାୟନ ଯୋଗୁଁ ହୋଇଛି। ଆହୁରି ମଧ୍ୟ ଇବ୍ରାଇଭର ଜଳର ରାସାୟନିକ ତଥ୍ୟ ଦର୍ଶାଇଛି ଯେ ଅଣ-ମୌସୁମୀ ସମୟରେ ଭେଡେନ ନଦୀ ଏବଂ ସଫାଇ ନାଳା ମାଧ୍ୟମରେ ଶିଳ୍ପ ନିର୍ଗତ ନିର୍ଗତ ପଦାର୍ଥର କିଛି ପ୍ରଭାବ ପଡ଼ିଥାଏ। ଭେଡେନ ନଦୀର ଆଲୁମିନିୟମ୍ ମୂଲ୍ୟ ଶିଳ୍ପାୟନ (M/s VAL) ହେତୁ ପ୍ରଦୂଷଣ ଦର୍ଶାଏ। ତଥାପି କ୍ଲୋରାଇଡର ଅଧିକ ସାନ୍ଦ୍ରତା ଦର୍ଶାଇଛି ଯେ ଇବ୍ ନଦୀ ପୌରପାଳିକାର ଅପଚୟ ଦ୍ୱାରା ପ୍ରଦୂଷିତ ହୋଇପାରେ।

ଖୋଳାଯାଇଥିବା କୂଅ, ହ୍ୟାଣ୍ଡପମ୍ପ ଏବଂ କୁରେବାଗାର ବୋରୱେଲରୁ ସଂଗୃହିତ ଭୂତଳ ଜଳ ନମୁନାରେ ଫ୍ଲୋରାଇଡ୍ ପରିମାଣ ପ୍ରାକ ମୌସୁମୀ ସମୟରେ ଯଥାକ୍ରମେ ଲିଟର ପିଛା ୦.୮୯ ମିଗ୍ରା, ୦.୩୧ ମିଗ୍ରୀ ଏବଂ ୧.୨୮ ମିଗ୍ରା ରହିଛି। ଅଧ୍ୟୟନ କ୍ଷେତ୍ରରେ ଫ୍ଲୋରାଇଡର ଉଚ୍ଚ ପରିମାଣ ଜଳଭଣ୍ଡାରରେ ଲିଥୋଲୋଜି ଏବଂ ଭୂତାତ୍ତ୍ୱିକ ଗଠନ ହେତୁ ହୋଇପାରେ। ଗଭୀର ଜଳଭଣ୍ଡାରରେ କୌଣସି ନାଇଟ୍ରେଟ୍ ପ୍ରଦୂଷଣ ନାହିଁ ଯେତେବେଳେ ଅଗଭୀର ଜଳଭଣ୍ଡାର ନାଇଟ୍ରେଟ୍ ସହିତ ପ୍ରଦୂଷିତ (କୁରେବାଗା, ୬୬ ମିଗ୍ରା/ଲି)। ଏହା ଘରୋଇ ନର୍ଦ୍ଦମା ଏବଂ ଅନ୍ୟାନ୍ୟ ମାନବଜାତିକ କାର୍ଯ୍ୟକଳାପ ଯୋଗୁଁ ହୋଇପାରେ।

ଶେଷ- ଏହି ଅଧ୍ୟୟନ ପରେ ଜଣାପଡ଼ିଛି ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାର ଏହି ଅଧ୍ୟୟନ କ୍ଷେତ୍ରର ୫୧% ଉପଯୁକ୍ତ, ୧୬% ଅନୁପଯୁକ୍ତ ଏବଂ ୩୩% ବିକଳ୍ପ ନଥିଲେ ନମୁନା ପାନୀୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ।

ସୁପାରିସ-

ଜଳାଶୟ ଏବଂ ଶିଳ୍ପଗୁଡ଼ିକର ବର୍ଜ୍ୟଜଳରୁ ସଂଗୃହିତ ପ୍ରାକ ମୌସୁମୀ ବିଶ୍ଳେଷଣ କରାଯାଇଥିବା ଭୌତିକ-ରାସାୟନିକ ପାରାମିଟରଗୁଡ଼ିକ ନିଶ୍ଚିତ କରିଛି ଯେ ଶିଳ୍ପାୟନ ଯୋଗୁଁ ଭେଡେନ ନଦୀ ଜଳର ଗୁଣବତ୍ତା ବହୁତ ଖରାପ ହୋଇଛି। ତେଣୁ ବର୍ଜପାଣି ନିଷ୍କାସନ ପୂର୍ବରୁ ବିଶୋଧନ କରାଯିବା ଉଚିତ। ଆବଶ୍ୟକ ସ୍ଥଳରେ କାଦୁଅ ଲ୍ୟାଣ୍ଡଫିଲ୍ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପାଳନ କରାଯିବା ଆବଶ୍ୟକ। ଏହା ବ୍ୟତୀତ ଭେଡେନ ନଦୀର ଜଳଭଣ୍ଡାରରେ ଅବସ୍ଥିତ ଶିଳ୍ପଗୁଡ଼ିକୁ ବର୍ଷା ଜଳ ଅମଳ ସଂରଚନା ସ୍ଥାପନ କରିବା ସହିତ ଭୂମିଗତ ଜଳ ପୁନଃଚାର୍ଜ କରିବା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

Scroll to Top