The beacon of independent journalism

ମା ମାଟି ମାଳି ସୁରକ୍ଷା ମଞ୍ଚକୁ ବିଶ୍ୱ ପରିବେଶ ଦିବସ ପାଳନ କରିବା ବାରଣ

ପ୍ରେସ ଇସ୍ତାହାର

୬ ଜୁନ ୨୦୨୫

ମା ମାଟି ମାଳି ସୁରକ୍ଷା ମଞ୍ଚ
(ତିଜମାଳି-କୁଟ୍ରୁମାଳି-ମାଝିଂମାଳି)
ରାୟଗଡ଼ା ଓ କଳାହାଣ୍ତି ଜିଲ୍ଲା, ଓଡ଼ିଶା
 ଜୁହାର ! ବିଶ୍ୱ ପରିବେଶ ଦିବସର ଶୁଭେଚ୍ଛା ! ଜୁନ ୫ ତାରିଖ ଏକ ସ୍ୱତନ୍ତ୍ର ଦିନ । ସେହି ଦିନ ସମଗ୍ର ବିଶ୍ୱରେ ପରିବେଶ ଦିବସ ପାଳିତ ହୁଏ । ଆମେ ତିଜମାଳି-କୁଟ୍ରୁମାଳି-ମାଝିଂମାଳିର ଆଦିବାସୀ ଓ ଦଳିତ ସମୁଦାୟ ନିଜର ପାହାଡ଼, ଜଙ୍ଗଲ ଓ ଝରଣାକୁ ବଡ଼ ବଡ଼ କମ୍ପାନୀମାନଙ୍କର ବକ୍‌ସାଇଟ ଖଣି ଖନନ ଯୋଜନାରୁ ସୁରକ୍ଷିତ ରଖିବା ପାଇଁ ବି ପରିବେଶ ଦିବସ ପାଳନ କରିଆସୁଛୁ । ଏହା ଆମ ପାଇଁ ମଧ୍ୟ ଆନନ୍ଦ ଓ ଏକତାର ଦିବସ । ବିଶ୍ୱର ବିଭିନ୍ନ କୋଣରେ ଆମ ଭଳି ଯେଉଁମାନେ ପ୍ରକୃତି ଓ ପରିବେଶକୁ ବଞ୍ଚେଇବା ପାଇଁ ଲଢ଼ୁଛନ୍ତି, ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାର ଏହା ଏକ ଅବସର । ବିଶ୍ୱର ସରକାରମାନେ ମଧ୍ୟ ଏହି ଦିବସଟିକୁ ପାଳନ କରନ୍ତି । 
 
ଏହି ବର୍ଷ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଆମେ ବିଶିଷ୍ଟ ପରିବେଶବିତ୍ ମେଧା ପାଟକରଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲୁ । କିନ୍ତୁ ଗଭୀର ଦୁଃଖ ଓ ଲଜ୍ଜାର ବିଷୟ ଯେ ଓଡ଼ିଶା ସରକାରଙ୍କ ପୁଲିସ ତାଙ୍କୁ ଜୁନ ୫ ତାରିଖ ଭୋର ସମୟରେ ରାୟଗଡ଼ା ରେଳ ଷ୍ଟେସନରେ ଅଟକ କଲା ଏବଂ ଆମ ଅଞ୍ଚଳକୁ ଆସିବାକୁ ଦେଲା ନାହିଁ । ଆମେ ଆପଣମାନଙ୍କୁ ପଚାରିବାକୁ ଚାହୁଁ ଯେ ଆମ ସହ ଏମିତି ବ୍ୟବହାର କରିବାର କାରଣ କ’ଣ? ଦେଶର ନାଗରିକ ଭାବେ ପରିବେଶ ଦିବସ ପାଳନ କରିବା ତଥା ମେଧା ପାଟକରଙ୍କ ଭଳି ଜଣେ ଜନଆନ୍ଦୋଳନର ସମର୍ଥକ ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରିବାର ଅଧିକାର କ’ଣ ଆମର ନାହିଁ? 
 
ଆମେ ଅନୁଭବ କରୁ ଯେ ଆମ ଅଞ୍ଚଳର ପ୍ରକୃତି ଓ ପରିବେଶକୁ ବଞ୍ଚେଇବା ପାଇଁ ଗତ ଦୁଇ ବର୍ଷ ଧରି ଆମେ ବେଦାନ୍ତ ଓ ତାର ଠିକା କମ୍ପାନୀ ମୈତ୍ରୀର ବକ୍‌ସାଇଟ ଖଣିଖନନ ଯୋଜନାକୁ ବିରୋଧ କରୁଥିବା ହେତୁ ଆମ ସହ ଏମିତି ବ୍ୟବହାର କରାଯାଉଛି । ବିଶେଷ କରି, ପରିବେଶ ଦିବସ ପାଳନ ନିମନ୍ତେ ଆମର ପ୍ରସ୍ତୁତି ଚାଲିଥିଲା ବେଳେ କମ୍ପାନୀ ଓ ଜିଲ୍ଲା ପ୍ରଶାସନ ଓ ପୁଲିସ ତରଫରୁ ଯେଉଁ ସବୁ କାଣ୍ତ ସୃଷ୍ଟି କରାଗଲା ତାହା ଏଠାରେ ପ୍ରଣିଧାନ ଯୋଗ୍ୟ । 
 
• ମେ ୩୧ ତାରିଖ ଭୋର ୪ଟାରୁ ୫ଟା ଭିତରେ ପ୍ରଶାସନିକ କର୍ମକର୍ତ୍ତାମାନେ ସାଗବାରୀ ରାସ୍ତାରେ ଖଣି ଅଞ୍ଚଳକୁ ଯିବାପାଇଁ ଉଦ୍ୟମ କଲେ । ମାଳିପଦରରେ ମହିଳାମାନେ ସେମାନଙ୍କୁ ଅଟକେଇଲେ । ଫେରିବା ରାସ୍ତାରେ ସେମାନେ ପୁଣି ଥରେ ଗ୍ରାମବାସୀମାନଙ୍କ ସହ ମୁହାଁମୁହିଁ ହେଲେ । ଲୁଚିଛପି ଖଣି ଅଞ୍ଚଳକୁ ଆସିବା ପଛରେ ସେମାନଙ୍କର ଉଦ୍ଦେଶ୍ୟ କଣ ବୋଲି ଲୋକେ ସେମାନଙ୍କୁ ପଚାରିଲେ । ଶେଷରେ, ତୃତୀୟ ଥର ପାଇଁ ବନ୍ତେଜ ଗାଁ ନିକଟରେ ବି ଲୋକଙ୍କ ସହ ପ୍ରଶାସନିକ କର୍ମକର୍ତ୍ତାମାନେ ମୁହାଁମୁହିଁ ହେଲେ । ସେଠାରେ ଦୁଇଟି ବୋଲେରେ ଗାଡ଼ିରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଜବାନ ପ୍ରଶାସନିକ କର୍ମକର୍ତ୍ତାମାନଙ୍କ ସହ ଯୋଗଦେଲେ । ଆମେ ଭାବୁ ଯେ ଉତ୍ତେଜନା ସୃଷ୍ଟି କରି ଜୁନ ୫ ତାରିଖର କାର୍ଯ୍ୟକ୍ରମକୁ ଭଣ୍ତୁର କରିବା ପାଇଁ ପ୍ରଶାସନ ଓ ପୁଲିସର ଏହା ଏକ ଚାଲାକି ଥିଲା । ପ୍ରକାଶ ଥାଉ କି, ଲୁଚିଛପି ଖଣି ଅଞ୍ଚଳକୁ ପଶିବା ପାଇଁ ପୁଲିସ ଓ ପ୍ରଶାସନ ପୂର୍ବରୁ ବି ଉଦ୍ୟମ କରିଛି ଏବଂ ଆମର ଲୋକେ ସେମାନଙ୍କୁ ଅଟକେଇଛନ୍ତି । 
• ଜୁନ ୩ ତାରିଖ ଦିନ ମା ମାଟି ମାଳି ସୁରକ୍ଷା ମଞ୍ଚର ଜଣେ ନେତୃସ୍ଥାନୀୟ ସଭ୍ୟ ଜଳେଶ୍ୱର ନାୟକ ବନ୍ତେଜର ଜିତେନ୍ଦ୍ର ନାୟକଙ୍କ ସହ ବରକୁଦି ଗାଁରେ (ଗ୍ରାମ ପଞ୍ଚାୟତ ଡୁମେରପଦର, ବ୍ଲକ ଥୁଆମୂଳ ରାମପୁର) ନିଜ ଭଉଣୀ ଘରକୁ ଯାଉଥିଲେ । ଓପରବେଳା ପାଖାପାଖି ୪ଟା ବେଳେ ରାସ୍ତାରେ ପନ୍ଦର ଜଣରୁ ଉର୍ଦ୍ଧ୍ୱ ଗୁଣ୍ତା ତାଙ୍କୁ ଘେରି ପକେଇ ଗାଳିଗୁଳଜ କରିବା ସହ ଶାରୀରିକ ଆକ୍ରମଣ କଲେ । ତାଙ୍କ ଲୁଗାପଟା ଚିରିପକେଇଲେ ଓ ଚଷମା ଭାଙ୍ଗିଦେଲେ । ତାପରେ, ସେମାନେ କାଶିପୁର ଓ ଥୁଆମୂଳ ରାମପୁରରୁ ପୁଲିସ ଡାକିଲେ ଓ ଜଳେଶ୍ୱରଙ୍କୁ ପୁଲିସ ହାତରେ ଦେଲେ । ପୁଲିସ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ପୁଣି ପିଟାମାରା କଲା । ପ୍ରାୟ ରାତି ୮ଟା ବେଳକୁ ଜଳେଶ୍ୱରଙ୍କ ଭିଣୋଇ ତାଙ୍କ ପରିବାର ଓ ଅନ୍ୟ ବନ୍ତେଜ ଗ୍ରାମବାସୀମାନଙ୍କୁ ଖବର ଦେଲେ ଯେ ଜଳେଶ୍ୱରଙ୍କୁ ଗିରଫ କରି କାଶୀପୁର ଥାନାରେ ରଖାଯାଇଛି ।  
• ଓକିଲ କହିବା ଅନୁଯାୟୀ, କାଶୀପୁର ପୁଲିସ ଜଳେଶ୍ୱରଙ୍କୁ ରାତି ଗୋଟେ ବେଳେ କାଶୀପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କଲା ଏବଂ ଜୁନ ୪ ତାରିଖ ସକାଳେ ତାଙ୍କୁ ରାୟଗଡ଼ା ଉପ-କାରାଗାରକୁ ପଠେଇ ଦିଆଗଲା । ଜଳେଶ୍ୱରଙ୍କ ସମ୍ପର୍କୀୟମାନେ ତାଙ୍କୁ ଦେଖା କରିବାକୁ ଓ  ଲୁଗାପଟା ଦେବା ପାଇଁ ଜେଲକୁ ଗଲେ । ପୁଲିସ କିନ୍ତୁ ଅନୁମତି ଦେଲା ନାହିଁ । ବରଂ ସେମାନଙ୍କୁ ଗିରଫ କରାଯିବ ବୋଲି ଧମକ ଦେଲା । ଜଳେଶ୍ୱରଙ୍କ ବିରୁଦ୍ଧରେ ଲଗାଯାଇଥିବା ଆରୋପଗୁଡ଼ିକର ସବିଶେଷ ବିବରଣୀ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । 
• ଜଳେଶ୍ୱରଙ୍କ ଗିରଫ ବିଷୟରେ ଖବର ଜାଣିବା ପାଇଁ ଜୁନ ୪ ତାରିଖ ଦିନ ୧୦ଟା ବେଳକୁ ପ୍ରାୟ ୧୫୦ ଜଣ ଗ୍ରାମବାସୀ ଦୁଇଟି ଟ୍ରକରେ କାଶୀପୁର ଯିବା ପାଇଁ ବାହାରିଲେ । କାଶୀପୁର ଠାରୁ ଅଳ୍ପ ଦୂରରେ ଅବସ୍ଥିତ ନାକ୍‌ଟି ଘାଟିରେ ପ୍ରାୟ ୨୫୦ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଜବାନମାନେ ଆମ ଲୋକମାନଙ୍କୁ ଆଗକୁ ଯିବା ପାଇଁ ଦେଲେ ନାହିଁ । ସେହି ସମୟରେ ଜଳେଶ୍ୱରଙ୍କ ବାପା ପୁଲିସକୁ ସାମନା କଲେ ଏବଂ କହିଲେ ଯେ ସେ ଓ ଗାଁଲୋକମାନେ ଜଳେଶ୍ୱରଙ୍କୁ ଠିକଣା କରିବା ତଥା ତାଙ୍କ ବେଆଇନ ଗିରଫ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଯାଉଛନ୍ତି । ସେଠାରେ ପୁଲିସ ଓ ଲୋକମାନଙ୍କ ଭିତରେ ଗରମାଗରମ ଯୁକ୍ତିତର୍କ ହେଲା । ସେହି ସମୟରେ ଜଣେ ପୁଲିସ କର୍ମକର୍ତ୍ତା ରମାକାନ୍ତ ନାୟକଙ୍କ ସାର୍ଟ କଲାର ଧରି ପକେଇ ଭିଡ଼ିନେଲା ।  ଉପସ୍ଥିତ ମହିଳାମାନେ ରମାକାନ୍ତଙ୍କୁ ପୁଲିସ କବଳରୁ ରକ୍ଷା କରିବା ପାଇଁ ବେଢ଼ି ପକେଇଲେ । ସେହି ପରି ଅନ୍ୟ ପୁରୁଷ ନେତାମାନଙ୍କୁ ରକ୍ଷା କରିବା ବେଳେ, ପୁଲିସ ସେମାନଙ୍କ ଉପରେ ଲାଠି ପ୍ରହାର କଲା । ମହିଳାମାନଙ୍କର ଚେଷ୍ଟା ସତ୍ତ୍ୱେ ରମାକାନ୍ତ ନାୟକଙ୍କୁ (୩୨ ବର୍ଷ) ପିଟିପିଟି ପୁଲିସ ଭ୍ୟାନରେ ଭର୍ତ୍ତି କରିଦେଲା । 
• ଓକିଲଙ୍କ କହିବା ଅନୁସାରେ ବନ୍ତେଜର ରମାକାନ୍ତ ନାୟକ ଓ କଣ୍ଟାମାଳର ସୁନ୍ଦରସିଂ ମାଝିଙ୍କୁ (ବୟସ ୨୬) ଜୁନ ୪ ତାରିଖ ଦିନ ସନ୍ଧ୍ୟାରେ କାଶୀପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇ ରାୟଗଡ଼ା ଉପକାରାଗାରକୁ ପଠେଇ ଦିଆଗଲା । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଆରୋପର ବିବରଣୀ ମିଳିପାରି ନାହିଁ ।
• ପୁଲିସ ଲାଠିରେ ଦୁଇଜଣ ମହିଳା ଆହତ ହେଲେ । ବଣ୍ତେଲର ନାରଙ୍ଗୀ ଦେଇଙ୍କୁ କାଶୀପୁର ଡାକ୍ତରଖାନା ନେବାରେ ଜଣାପଡ଼ିଲା ଯେ ତାଙ୍କ ମଣିବନ୍ଧ ଭାଙ୍ଗିଛି । କଣ୍ଟାମାଳର ନର୍ଗୀ ଦେଇଙ୍କ ହାଡ଼ ଭାଙ୍ଗିଥିଲେ ବି ସେ ଡାକ୍ତରଖାନା ନଯାଇ ଡରରେ ଗାଁକୁ ପଳେଇ ଆସିଲେ । ପୁଲିସ ଆକ୍ରମଣରେ ବହୁ ମହିଳା ଆହତ ମଧ୍ୟ ହୋଇଛନ୍ତି । 
• ଜୁନ ୪ ତାରିଖ ସନ୍ଧ୍ୟାରେ ପୁଲିସ ଗାଡ଼ି ଗାଁ ଗାଁରେ ଘୋଷଣା କଲା ଯେ  ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି ଓ ଲୋକମାନେ ରୁଣ୍ତ ହୋଇ ପାରିବେ ନାହିଁ ।
• ଗତକାଲି ରମାକାନ୍ତ ନାୟକଙ୍କ ଭିଣୋଇ ତାଙ୍କୁ ଦେଖାକରିବାକୁ ଯାଇଥିଲେ । ପୁଲିସ ତାଙ୍କୁ  କୋର୍ଟ ହତା ଭିତରେ ଚାରି ଘଣ୍ଟା ଅଟକ କରି ରଖିଗଲା ଏବଂ ଦେଖା କରିବାକୁ ଅନୁମତି ଦିଆଗଲା ନାହିଁ । 
• ରାୟଗଡ଼ା ଉପକାରାଗାରକୁ ଯାଇଥିବା ଜଣେ ଗ୍ରାମବାସୀଙ୍କ ଅନୁଯାୟୀ ଜଳେଶ୍ୱର ଓ ରମାକାନ୍ତ ବିନା ସାହାରାରେ ଚାଲି ପାରୁନଥିଲେ ଏବଂ ଛୋଟଉଥିଲେ । ବୋଲେରୋ ଗାଡ଼ିରେ ପୁଲିସ ସୁରକ୍ଷାରେ ଉଭୟଙ୍କୁ ରାୟଗଡ଼ା ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଉଥିବାର ସେ ଦେଖିଥିଲେ ।
 
ଜଳବାୟୁ ପରିବର୍ତ୍ତନର ସଙ୍କଟ ସନ୍ଦର୍ଭରେ ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ଚାରିଆଡ଼େ ଉଦ୍ୟମ ହେଉଥିଲା ବେଳେ, ବିଡ଼ମ୍ୱନାର ବିଷୟ ଯେ ଓଡ଼ିଶା ସରକାର  ଆମ ଅଞ୍ଚଳରେ ୧୪୪ ଧାରା ଜାରି କରି ବିଶ୍ୱ ପରିବେଶ ଦିବସ ପାଳନ କରିବାକୁ ଆମକୁ ବାରଣ କଲେ । ତଥାପି ଆମର ଶହ ଶହ ଲୋକ ଲୋକ କଣ୍ଟାମାଳରେ ଏକତ୍ରିତ ହୋଇ ପରିବେଶ ଦିବସ ପାଳନ କଲେ । ଆହୁରି ନିନ୍ଦନୀୟ ଯେ ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ଆମକୁ ସାହାଯ୍ୟ କରୁଥିବା ବହୁ ବନ୍ଧୁ ଓ ସମର୍ଥକଙ୍କୁ ରାୟଗଡ଼ା ଜିଲ୍ଲା ପ୍ରଶାସନ “ଶାନ୍ତି ଶୃଙ୍ଖଳା ବ୍ୟାହତ ହେବା” ଆଳରେ ଜିଲ୍ଲା ଭିତରକୁ ପ୍ରବେଶ କରିବା ପାଇଁ ନିଷେଧାଦେଶ ଜାରି କରିଛି । ଅଥଚ ଯେଉଁ ବେଦାନ୍ତ ଓ ତା’ର ଠିକା କମ୍ପାନୀ ମୈତ୍ରୀର କାର୍ଯ୍ୟକଳାପ ପାଇଁ ଆମ ଅଞ୍ଚଳରେ ଅଶାନ୍ତି ସୃଷ୍ଟି ହେଉଛି, ଜିଲ୍ଲା ପ୍ରଶାସନ ସେହିମାନଙ୍କୁ ହିଁ ସୁରକ୍ଷା ଦେଇଚାଲିଛି ।
 
ମା ମାଟି ମାଳି ସୁରକ୍ଷା ମଞ୍ଚ ତରଫରୁ
ସୁବାସସିଂ ମାଝି, ଲକ୍ଷ୍ମଣ ମାଝି, ଲାଇ ମାଝି 
 
 
ଯୋଗାଯୋଗ ଇମେଲ ଠିକଣା : maamatimalisurakhyamancha@gmail.com
Scroll to Top